ପ୍ରଣୟ

ପ୍ରଣୟ

ଶ୍ରୀ ହରିଚରଣ ଗିରି

 

ଅଭିମତ

ସ୍ଵର୍ଗୀୟ କବିବର ରାଧାନାଥଙ୍କର ସୁଯୋଗ୍ୟପୁତ୍ର ଉତ୍କଳ ସାହିତ୍ୟର କନିଷ୍ଠ ସେବକ ଓଡ଼ିଶାର କୃତୀ ସନ୍ତାନ ଶ୍ରୀଯୁକ୍ତ ଶଶିଭୂଷଣ ରାୟ ଅନୁଗ୍ରହପୂର୍ବକ ଏହି ପୁସ୍ତକଟିର ପାଣ୍ଡୁଲିପି ପାଠକରି ଯେଉଁ ମନ୍ତବ୍ୟ ପ୍ରକାଶ କରିଅଛନ୍ତି, ତାହା ନିମ୍ନରେ ପ୍ରଦତ୍ତ ହେଲା ।

‘ପ୍ରଣୟ’ ପାଠକରି ମୁଗ୍ଧ ଓ ଆତ୍ମବିସ୍ତୃତ ହେଲି । ଗୋଟିଏ ସୁକୁମାର ସ୍ନପେଲବ ବିଷୟକୁ ସାଳଙ୍କାର ଭାଷା ଓ ଅଜସ୍ର କଳାନୈପୁଣ୍ୟରେ ମଣ୍ଡିତ କରି କ୍ଷୁଦ୍ର କାବ୍ୟକୁ ସମ୍ପଦସଂଯୁକ୍ତ କରିବା କମ କୃତିତ୍ୱର କ୍ଷୟ ନୁହେଁ । ସ୍ଵଭାବିକ ପ୍ରତିଭା ଓ ନୈପୁଣ୍ୟ ଏଥିରେ ସଂପୂର୍ଣ୍ଣ ଆତ୍ମପ୍ରକାଶ କରି ଗ୍ରନ୍ଥାକାରଙ୍କର ପ୍ରକୃତ ଶକ୍ତିମତ୍ତାର ପରିଚୟ ଦେଉଅଛି ।
ସମାଜର କଠୋର ଶାସନ ସମ୍ବନ୍ଧରେ ନିମ୍ନ କବିବାଣୀ ସବୁବେଳେ ସାର୍ଥକ ।

 

"ଆର୍ଯ୍ୟଦ୍ଵାହି ଦେଇ କରନ୍ତି ଯେ କାର୍ଯ୍ୟ

ନ କରିବେ କେବେ ପତିତ ଅନାର୍ଯ୍ୟ ।"

"ଭଣ୍ଡ ସମାଜର ବର୍ବର ଆଟୋପ

ନାରୀର ନାରୀତ୍ଵ କରିଅଛି ଲୋପ ।"

କାଳୀଗଳି

 

 

କଟକ

 

ଶ୍ରୀ ଶଶିଭୂଷଣ ରାୟ

ତା ୧୦ । ୮୨୮

 

 

 

 

ପ୍ରଣୟ

ପ୍ରଥମ ସର୍ଗ

(ନଟ ବାଣୀ)

 

ବୈତରଣୀ ତଟ ଅଟବୀ ଗହନେ,

ଶ୍ରୀବିରଜା ଯହିଁ ବିଜେ ସିଂହାସନେ ।

ଶକ୍ତିପୀଠ ସେହୁ ଜଗତେ ବିଦିତ,

ଯା' ରେଣୁ ସ୍ପରଶେ ପ୍ରାଣୀ ଏ ପବିତ୍ର ।

ତରଙ୍ଗଣୀ ସଦା କଳକଳ ନାଦେ,

ଗାଉଛି କେଶରୀ କୀରତି ଆହ୍ଲାଦେ ।

ସୁମରି ଅତୀତ ଯଶ ଗଉରବ,

ବୀର ଉତ୍କଳୀୟ ପୂରୁବ ବିଭବ,

ବନଦେବୀ କିବା ବାହୁନନ୍ତି ନିତି,

ଶୁକ ପିକ କଣ୍ଠେ କମ୍ପାଇ ଧରିତ୍ରୀ ।

ସମୀରଣ ବହି ସାଇଁ ସାଇଁ ସ୍ଵରେ,

ଅତୀତ କୀରତି ପ୍ରଚାରେ ବିଶ୍ଵରେ ।

ଥିଲେ ସେ ନଗରେ ବାଳିକା ବାଳକ,

ବେନି ପ୍ରତିବେଶୀ, ମହେନ୍ଦ୍ର, କନକ ।

ବେନିଏ ବେନିଙ୍କ ରୂପେ ପଟାନ୍ତର,

ଶୋଭା-ସରେ ସେକି ଯୁଗଳ-ପୁଷ୍କର ?

କନକ କାମିନୀ-କୁଳେ ଶିରୋମଣି,

ଯାରୂପେ ନିକୃଷ୍ଟ ଅମର ରମଣୀ ।

ମହେନ୍ଦ୍ର ତେସନ ପୁଂସକୁଳେ ରାଜେ,

ମୃଗେନ୍ଦ୍ର ଯେସନ ଶାର୍ଦ୍ଦୁଳ ସମାଜେ ।

ବେନି ବେନିଙ୍କର ବାଲ୍ୟୁ ସହଚର,

ଏକଆତ୍ମା ଯେହ୍ନେ ଥିଲା ବେନିଙ୍କର ।

ଯାଉଥିଲେ ଯେବେ ଗୁରୁଙ୍କ ସଦନେ,

ବିଦ୍ୟାଭ୍ୟାସେ ଆନ ଚାଟ ବାଳ ସନେ;

ନୋହୁଥିଲେ ଦଣ୍ଡେ ଭିନ୍ନ ପରସ୍ପର ।

ଏକ ଦୁଃଖେ ଘାରି ହୁଅଇ ଅପର ।

ପଥେ ମିଳନର ଥିଲା ତାଙ୍କ କଣ୍ଟ,

ତିମୁହାଣି ପଥେ ମହାଦ୍ରୁମ-ବଟ ।

ଯଦି କେ ଗୃହରୁ ଆଗଚାଲି ଆସେ,

ବସିଥାଏ ସେହି ବଟବୃକ୍ଷ ପାଶେ ।

ହେଲେ ବେନିଙ୍କର ଭେଟ ସମ୍ଭାଷଣ,

ଚାଟଶାଳେ ହୃଷ୍ଟେ କରନ୍ତି ଗମନ ।

ମହେନ୍ଦ୍ରକୁ ଯେବେ ଗୁରୁ ଦ୍ୟନ୍ତି ଦଣ୍ଡ,

ଅଶ୍ରୁସିକ୍ତ ହୁଏ କନକର ଗଣ୍ଡ ।

ଯଦି ସଙ୍ଗୀ କେହି କହେ କଡ଼ା କଥା-

ମହେନ୍ଦ୍ରକୁ, ଲାଗେ ବାଳାପ୍ରାଣେ ବ୍ୟଥା ।

ନିଜୁ ବାଳା ବଡ଼ ମଣେ ସହଚରେ,

ତାର ଦୁଃଖ ଦେଖି କାନ୍ଦଇ କାତରେ ।

ମହେନ୍ଦ୍ର ତେସନ କନକର ଦୁଃଖେ,

ବ୍ୟଥିତେ କାନ୍ଦଇ ମୌନେ ଅଧୋମୁଖେ ।

ବେନିଏ ବେନିଙ୍କ ଦୁଃଖେ ସମଭାଗୀ,

ଏକ ପ୍ରାଣ ସଦା କାନ୍ଦେ ଆନଲାଗି ।

ଗ୍ରାମ ପୂର୍ବେ ଥିଲା ରମ୍ୟ ଉପବନ,

(କନକ ପିତାଙ୍କ ସ୍ଵହସ୍ତ ରଚନ ।)

ପ୍ରଦୋଷ ଉଷାରେ ବେନି ହ।ସରସେ -

ନିମଜ୍ଜି ବୁଲନ୍ତି, ସେବନେ ହରଷେ ।

କୁସୁମ-କାନନେ ଯଥା ଫୁଲେଶ୍ଵରୀ,

ଶୋହେ କନକାଙ୍ଗୀ-କନକ ସୁନ୍ଦରୀ ।

ଏକବୃନ୍ତେ କିବା ବେନି ଶତଦଳ,

ରାଜନ୍ତି କୁମାର କୁମାରୀ ଯୁଗଳ ।

ଦରଦର ହାସ ଗୋଲାପ ଅଧରେ,

ଆହା ! କି ଅପୂର୍ବ ସ୍ଵର୍ଗ ଶୋଭାଧରେ ।

ତୋଳି ନାଗେଶ୍ଵର ଚମ୍ପକ ସୁମନ,

ସ୍ୱହସ୍ତେ ମାଳିକା କରି ବିରଚନ,

କନକ ଯେବେବା ମହେନ୍ଦ୍ରର ଗଳେ,

ଲମ୍ବାଇ ଦିଅଇ ପ୍ରେମ-କୁତୁହଳେ ,

ମହେନ୍ଦ୍ର ତା' କାଢ଼ି ଅନୁରାଗ ବଶେ,

ଲମ୍ବାଇ ଦିଅଇ କୁମାରୀ ଉରସେ ।

କେ କହୁ ବାଳିକା ଲଭଇ ଯେ ବ୍ୟଥା ?

ଭାଷାରେ ବିଭାଷି ନୁହଇ ସେ କଥା ।

ଏକେତ କାମିନୀ ସ୍ଵଭାବେ ଚପଳ,

କଥାକେ କଥାକେ ବହେ ଅଶ୍ରୁଜଳ ।

ବାଳିକାର ପୁଣି ଅନୁରାଗ ଅତି,

ବାଧା ଦେବ ତହିଁ କାହାର ଶକତି ?

ଅଭିମାନେ ବାଳା ନ ଚାହିଁ କୁମାରେ,

କାନ୍ଦେ ମର୍ମଭେଦୀ କାତର ଚିତ୍କାରେ ।

ବୁଝାଇଲେ ଯେତେ ନ ବୁଝାଇ ଆଉ,

ଝରଗତି ଆଶୁ ରୋଧି ହେବ କାହୁଁ ?

କହିଲେ ମହେନ୍ଦ୍ର ଯେତେ ଚାଟୁବାଣୀ,

କ୍ରୋଧ–ନଦୀ ଉଠେ ଦ୍ଵିଗୁଣ ଉଜାଣି ।

ପିନ୍ଧିଲେ ସେ ମାଳା ଯୁବା ନିଜ ଗଳେ ,

କ୍ରୋଧାବେଗ ଶାନ୍ତି ଭଜେ ବଳେ ବଳେ ।

ପିତାମାତା ଯେବେ ଯାରେ ଶ୍ରଦ୍ଧାଭରେ,

ଭଲଦ୍ରବ୍ୟ କିଛି ଦିଅନ୍ତି ଆଦରେ;

ନ ହୋଇବା ଯାଏ ପରସ୍ପରେ ଦେଖା,

ନ ଭୁଞ୍ଜନ୍ତି କେହି ସେ ପଦାର୍ଥ ଏକା ।

ବେନିଙ୍କ ହୃଦୟ ଥିଲା ସୁସମାନ,

ଏକ ଇଛେ ଯାହା ପୁରାଏ ତା' ଆନ ।

ଭିନ୍ନ ନୋହୁଥିଲେ ଦଣ୍ଡ ଲବ ଲେଶ,

ପାର୍ଥକ୍ୟରେ ଥିଲା ସାମାନ୍ୟ ବିଶେଷ ।

କୁମାର-ରତନ ଦରିଦ୍ର ସନ୍ତାନ,

କୁମାରୀ ପିଅର ଅତି ଧନବାନ ।

ସମ ଆଉ ସର୍ବଗୁଣେ ପରସ୍ପରେ,

ହାବ, ଭାବ, ପ୍ରେମ, ରୂପ-ସୌନ୍ଦର୍ଯ୍ୟରେ ।

ଦ୍ଵିତୀୟାରୁ ପୂର୍ଣ୍ଣ ଶଶଧର ପରି,

ବଢ଼ିଲେ ନବୀନ ସୁନ୍ଦର ସୁନ୍ଦରୀ ।

ପ୍ରକଟିଲା ଅଙ୍ଗେ ନବ ଯଉବନ,

ବସନ୍ତେ ମାଧବୀ ଲତିକା ଯେସନ ।

ଶୋଭିଲେ ସୌନ୍ଦର୍ଯ୍ୟେ ତରୁଣୀ ତରୁଣ,

ମୁଖ-ପଦ୍ମ ଜ୍ୟୋତି କିବା ବାଳାରୁଣ ।

ବେନି ହୃଦେ ପ୍ରେମ ବୀଜ ଯା ବପନ -

ଆବାଲ୍ୟରୁ ହୋଇଥିଲା, ଯଉବନ –

ପରଶେ ନବୀନ ପ୍ରେମାଙ୍କୁର ଜାତ,

ବୃଷ୍ଟିବାରି ପାତେ ଯଥା ତୃଣବ୍ରାତ ।

ଆବ-ଲ୍ୟାନୁରାଗ ଥିଲା ଯା ନିଷ୍କାମେ,

ପରିଣତ ଏବେ ସେ ମହାସକାମେ ।

ପ୍ରଣୟ ବଢ଼ିଲା ଉତ୍ତରୁ ଉତ୍ତର,

ପ୍ରାବୃଟେ ତଟିନୀ ସ୍ରୋତ ଯଥା ଖର ।

କିଣା ହେଲେ ବେନି ବେନିଙ୍କ ପ୍ରଣୟେ,

ପ୍ରଣୟ ବାସନା ଜନ୍ମିଲା ହୃଦୟେ ।

ସ୍ଥିର କଲେ ଦିନେ ବସି ଏକ ଠାବେ,

ଯାପିବେ ଜୀବନ ପତି ପତ୍ନୀଭାବେ ।

 

 

 

ଦ୍ୱିତୀୟ ସର୍ଗ

 

କନକ ସୁନ୍ଦରୀ ଲଭନ୍ତେ ଯୌବନ,

ଆକଟିଲେ ପିତା ମାତା ଗୁରୁଜନ ।

ବିଦ୍ୟାଳୟେ ନ ଛାଡ଼ିଲେ ଚାଟସେନ,

ନ ପଡ଼ିଲା ଯୁବା-ନୟନ-ଅୟନେ ।

ଅଦର୍ଶନେ ହେଲା ହୃଦ ବେନିଙ୍କର,

ଦ୍ଵିଗୁଣ ପ୍ରଣୟ-ରସେ ଜର ଜର ।

ତାଲାବଦ୍ଧ ଗୃହେ ସିନା ଚୋର ଆସ,

ଆକଟେ ପ୍ରବଳ ହେଲା, ପ୍ରେମୋଚ୍ଛ୍ଵାସ ।

କନକ ସହିତ ଦେଖା ମୁଖ୍ୟ କରି -

ଯାଏ ଯେବେ ଯୁବା ବୁଲି, ଛଳଧରି

ଲେଉଟଇ ହୋଇ ବିଫଳ ପ୍ରୟାସ ,

କନକର ସଦା ଅନ୍ତଃପୁର ବାସ ।

ଅଦର୍ଶନେ ଘାରି ହେଲେ ବେନି ଜନେ,

କୋକଯୁଗ୍ମଯଥାନିଶିଆଗମନେ ।

ନ ରୁଚିଲା ଖଣ୍ଡ ଶାକର ଭୋଜନ,

ଅରୁଚ୍ୟ କୁଟୁମ୍ବ ମିଷ୍ଟ ଆଳାପନ ।

ଉଦାସୀନ ସଦା ଆନ କର୍ମ ପ୍ରତି,

ବିଚଳିତ କଲା ପ୍ରୀତି ବେନି ମତି ।

ଭାବ ବିଲକ୍ଷଣ ନିର୍ଲକ୍ଷ୍ୟ ଚାହାଁଣି,

ସଦା ମୌନବ୍ରତ ଚିନ୍ତାମଗ୍ନ ଠାଣି ।

ଦେଖି ପିତା ମାତା ଗୁରୁଜନ ବର୍ଗ,

ବାକୀ ନ ରହିଲା ବୁଝିବାକୁ ସର୍ବ ।

ଜାଣିଲେ ଯୌବନେ ମନୋଜ ତାଡ଼ନେ,

ଜନ୍ମିଅଛି ହୃଦେ ବିକାର ଏସନେ ।

ମହେନ୍ଦ୍ର ପିଅର ଥିବାରୁ ନିର୍ଦ୍ଧନ,

ଜାଣି ପ୍ରତିକାରେ ନୋହିଲେ ଭାଜନ ।

ପଡ଼ିଲା କନକ ବିବାହ ଚହଳ ,

ନାନା ସ୍ଥାନେ ଖୋଜା ହେଲା ବରଘର ।

କନକ ଜନନୀ ଡାକି ଦିନେ ପାଶେ,

ଭାଷିଲେ ପତିଙ୍କୁ ଏକାନ୍ତ ବିଶ୍ଵାସେ ।

"ମହେନ୍ଦ୍ରକୁ ଦାନ କରିବା କୁମାରୀ,

ବାଲ୍ୟୁଁ ସେ କନକ ପ୍ରଣୟ ଭିକାରୀ ।

ସୁତା ମଧ୍ୟ ତାର ପ୍ରେମ ଭିକାରିଣୀ,

ଏ ମିଳନେ ସୁଖୀ ହେବ ମନସ୍ଵିନୀ ।

ସ୍ଵାମୀ ତାଙ୍କୁ ଉପହାସ କଲେ ଶୁଣି,

"ଲକ୍ଷ୍ମୀକନ୍ୟା ଭିକ୍ଷୁ ହାତେ ଦେବି ପୁଣି ?

ପତ୍ନୀରୂପେ ପରା ଜାହ୍ନବୀଙ୍କ କର,

ଧରିଥିଲେ, ଦେବ ଚନ୍ଦ୍ରଚୂଡ଼-ହର ?

ତାଙ୍କଠାରୁ ଅଛି କିଏ ଅବା ଜ୍ଞାନୀ ?

ଦେବ ପରେ ଦେବ ପ୍ରଭୁ ଶୂଳପାଣୀ ।

ଥିବାରୁ ସେ ଏକା ସମ୍ପଦେ ନିଊନ,

ତେଜି, ଗଙ୍ଗାନେଲେ ସାଗରେ ଶରଣ ।

ଜାଣି ଶୁଣି ମୁଁ ତ ନ ଦେବଇଁ କନ୍ୟା ।"

ନିର୍ଦ୍ଧନର ଆହା କି ଗୁରୁ ଲାଞ୍ଚନା ।

ସହସ୍ର ଗୁଣ ତା ଥାଇଁ କେଉଁ ଲାଭ ?

ସଂସାରେ ଯେ ସାର ଧନର ଅଭାବ,

କି କନରୁ ଧନ ଧନ୍ୟା ତୋର ଗୁଣ,

ତୋହ ଯୋଗୁଁ ଗୁଣୀ ହୁଅଇ ନିର୍ଗୁଣ ।

କ୍ଷଣେ ତୁ ମିତ୍ରକୁ ଦେଉ ଶତ୍ରୁ କରି,

ଭାଇ ଭାଇ ମଧ୍ୟେ ମାଡ଼ ମରା ମରି,

ଗୁରୁ ଶିଷ୍ୟ ମଧ୍ୟେ ଲଗାଉ କଳହ ,

ନାରୀ ସ୍ଵାମୀ ଅଭି-ମାନ ଅହ ରହ

ନାହିଁ ତୋର ପାଶେ ଭେଦ ସାନ ବଡ଼,

ନ୍ୟାୟପତି ହୁଏ ତୋ ପ୍ରସାଦେ ଜଡ଼ ।

ତୋହ ଯୋଗୁଁ ଶୁଣ୍ଢି ଲଭେ ଉଚ୍ଚାସନ,

ବିପ୍ରତା' କିଙ୍କର ପଣକୁ ଭାଜନ ।

କ୍ଷଣେ କରିପାରୁ କଳାକୁ ଧବଳ,

ଦୁର୍ବଳରେ ଦେଉ ଶତ ସିଂହ ବଳ ।

ତୋ ପ୍ରସାଦେ କେହି ନ ଡରନ୍ତି ପାପେ,

ଶତ ପ୍ରମାଦକୁ ବରଣନ୍ତି ଆପେ ।

ଜଗତେ ଶ୍ରେଷ୍ଠ ତୋ ମୋହିନୀ ମନ୍ତର,

ଧନ୍ୟ ଧନ୍ୟ, ଧନ୍ୟ ଯେ ତୋର କିଙ୍କର

କନକ ଜନନୀ ଶତ ଅନୁରୋଧ

ହେଲା, ବିଜ୍ଞ ବାକ୍ୟେ ଯେସନ ନିର୍ବୋଧ ।

ନଶୁଣିଣ ବୃଦ୍ଧ ସେ ପ୍ରସ୍ତାବ ମାନ,

ବର କଲେ ସ୍ଥିର ଦେଖି ଧନବାନ ।

ଲଗ୍ନ ସ୍ଥିରୀକୃତ ପ୍ରସ୍ତାବ ଆଗତ,

ହୋଇଗଲା, ସର୍ବ ଶୁଭେ ବିଧିମତ ।

ଏ ଶୁଭ ସଂବାଦ କନକ ସୁନ୍ଦରୀ-

ମର୍ମ ବିଦାରିଲା, ଯେସନ କୁରରୀ ,

ଝରିଲା ଶୋଭାଙ୍ଗୀ ବସି ଅନୁଦିନ ।

ଅଭିନ୍ନ ପୀରତି ପିତା କଲେ ଭିନ୍ନ ।

କନକରୁ ବଳି ମହେନ୍ଦ୍ରର ଦଶା,

ଚିନ୍ତି ପୂର୍ବ ଭାବ ହୋଇଲା ବିବଶା ।

ସାୟଂ ସମୀରଣେ, ଦିନେ ଉପବନେ,

ବସି ଯୁବାବର ସ୍ଥିରେ, କାଷ୍ଠାସନେ-

ଦେଖାଇ ଉଦ୍ୟାନ, ଶୋଭା ଏକମନେ,

ଦେଖୁଥିଲେ ପୂର୍ବେ ଯହିଁ ବେନି ଜନେ।

କନକ-ସ୍ୱହସ୍ତ-ରୋପିତ-ବଞ୍ଚରୀ

ପୁଷ୍ପେ ଯହିଁ ନବ ଶୋଭା ଛନ୍ତି ଧରି ।

ଯେଉଁ କାଷ୍ଠାସନେ ବସି ପ୍ରେମ ଭରେ,

କରିଥିଲେ ବେନି ପ୍ରତିଜ୍ଞା ନିର୍ଭରେ ।

ଭାବି ସେହିକଥା ଯୁବାମଣି ମନ,

ବିସ୍ମୟ ବିଷାଦେ ହେଉଛି ଉଛନ୍ନ ।

ସିନ୍ଧୁଗର୍ଭେ ଯଥା ଖେଳଇ ଲହରୀ,

ମୁହୁ ର୍ମୁହୁ ହୃଦ ଉଠୁଅଛି ଥରି ।

କେବେବା ଅଲକ୍ଷେ ପଡ଼ୁଅଛି ଖସି,

ଅଶ୍ରୁବିନ୍ଦୁ ନେତ୍ରୁଁ, ଧଇର୍ଯ୍ୟ ଧରସି ।

ପାର୍ଶ୍ଵେ ଚାହିଁ ଶୁଷ୍କ ସୁମନ-ମାଳିକା,

(ରଚିଥିଲା ଯାହା କନକ-ବାଳିକା)

ଉଠାଇ ହୃଦୟେ ଭିଡ଼ଇ ଯତନେ,

କେବେ ଅବାରତ ଅଳୀକ ଚୁମ୍ବନେ ।

ଭାବଇ "କନକ ଲଘିଂବୁକି ସତ୍ୟ,

ଜାଣିଛି ତୋ ହୃଦ ଅତୀବ ମହତ୍ ।

ନାହିଁ ଦୋଷ ତୋର, ପାଷଣ୍ଡ ପିଅର,

ପଣ୍ଡ କରିଛନ୍ତି ବରି ଆନ ବର ।

ହାୟରେ ବିଧାତା ! ନଜାଣୁ କି ତିଳେ?

ଅପାତ୍ର ପ୍ରଣୟେ କି ସୁଫଳ ମିଳେ?

ଧିକ୍‌ ବିଧି ତୋର ନାହିଁ ବୁଝାମଣା,

କ୍ଷଣେ ଚୂର୍ଣ୍ଣକରୁ ମାନବ କଳ୍ପନା ।

ଏହିରୂପେ ଯୁବା ନୈରାଶା ହୃଦୟେ,

ଭାବେନାନା ଭାବ ବିଚ୍ଛେଦ ଅଥୟେ ।

ଶୁଣି ବେଳେ ବେଳେ ଭେକ ମକ ମକ,

ଜାଗଇ ସହସା ହୃଦୟେ ଚମକ ।

ମଣି ଖଞ୍ଜନାକ୍ଷୀ ନୂପୁର ନିକ୍ଵଣ,

ଉଠି ଚଉଦିଗ କରେ ନିରୀକ୍ଷଣ ।

କେବେ କ୍ଷୀଣସ୍ଵରେ ବାଳାନାମଧରି,

'କନକ ! କନକ' ! ଡାକେ ଥରିଥରି

ନିଶିଅର୍ଦ୍ଧ ହେଲା ବସି ଉପବନେ,

ଚିନ୍ତି ଯୁବା ପ୍ରେୟସୀରେ କ୍ଷୂର୍ଣ୍ଣ ମନେ।

ଶୁଭିଲା ଏକାଳେ ଚକ୍ରବାକୀ ସ୍ଵନ,

ତଟିନୀ-ସିକତା-ପଠେ ଘନ ଘନ ।

ଚମକି ଚାହିଁଲା ଉର୍ଦ୍ଧ୍ଵେ ଯୁବାବର,

ଚନ୍ଦ୍ରମା-ରଜତ-ଚନ୍ଦ୍ରିମା-ଭାସ୍ଵର ।

ଶୋଭାରାଣୀ-ଗଭା-ହୀରକ-ଭୂଷଣ-

ସମ ଦିଶୁଛନ୍ତି ନଭେ ତାରାଗଣ ।

ଜ୍ୟୋତ୍ସ୍ନାପୂରେ ହସି ଉଠୁଛି ମେଦିନୀ,

ହସୁଅଛି ଯଥା ସରେ କୁମୁଦିନୀ ।

କିଶଳୟ-କୁଞ୍ଜେ ବସି ଧୀର ତାନେ,

ରତ ପିକ ମୁହୁର୍ମୁହୁ କୁହୁ ଗାନେ ।

ନାଗେଶ୍ଵର ବାତ କମ୍ପିତେ ସଞ୍ଚରି,

ଦେଖାଉଛି ନିଜ ଶୋଭା ଆଗସରି ।

ଝିଲ୍ଲି ସମସ୍ଵରେ ରାବେ ମଲ୍ଲିବନେ,

କୌମୁଦୀ-ଧଉତ-ଧବଳ-ପ୍ରାଙ୍ଗଣେ ।

ପୁଷ୍ପ ଗନ୍ଧ ହରି ବହି ଗନ୍ଧବହ,

ଚହଟାଏ ଧରା ବାସେ ମହ ମହ ।

ଏସନ ସୌନ୍ଦର୍ଯ୍ୟ ଲକ୍ଷି ଅଲକ୍ଷରେ,

ନୈରାଶ୍ୟ-ଝଟିକା-କ୍ଷୋଭିତ-ଅନ୍ତରେ,

ଧୀରପଦେ ଯୁବା ଗୃହ ଅଭିମୁଖେ,

ଚଳିଲା ଲେଉଟି ମର୍ମ ଭେଦି ଦୁଃଖେ ।

କେବେ କେବେ ପଛେ ଅନାଇ ଅନାଇ,

ଏଣୀ ଯଥା ଗମେ ଶାବକ ହରାଇ ।

ଉଦ୍ୟାନାନ୍ତେ ଆଉ ପଦ ନ ଚଳିଲା,

ଗ୍ରୀବାଭାଙ୍ଗି ଥରେ ଚରମେ ଚାହିଁଲା ।

ଫେରି ଯା ଦେଖିଲା ଆଶ୍ଚର୍ଯ୍ୟ ବୃତାନ୍ତ,

ଚକ୍ଷୁ ସାକ୍ଷ ବେନି ମାନେ କଲା ଭ୍ରାନ୍ତ ।

ଭାବୁଥିଲା ଯେଉଁ ମାନସ ସୁନ୍ଦରୀ,

ଅଗ୍ରେ ଉଭା ସେହି ଜୀର୍ଣ୍ଣ ବେଶଧରି ।

ଅଙ୍ଗ ଉପଅଙ୍ଗ ଆଭରଣ ହୀନ,

ଚମ୍ପକ ବଲ୍ଲରୀ ଶୀତେ ଯଥା ଶୀର୍ଣ୍ଣ ।

କାଞ୍ଚନ ବଳୟ ମାତ୍ର ଅଛି କରେ,

ଶ୍ରୀଅଙ୍ଗ ଆବୃତ ମଳିନ ଅମ୍ବରେ ।

ନାହିଁ ଆଡ଼ମ୍ବର-ଭୂଷଣର-ଛଟା,

ସୌନ୍ଦର୍ଯ୍ୟ- କାଶେ-ଘୋର ଘନଘଟା ।

ଦର ଦର ହାସ ଥିଲା ଯେ ଅଧରେ,

ସେ ଅଧର କିମ୍ପା ଥର ଥର ଥରେ?

କୁରଙ୍ଗ ନେତ୍ରେ ଯା ତରଙ୍ଗ ଚାହାଁଣି,

ସ୍ଵର୍ଗ ସୁଖ ପଦେ ଦେଉଥିଲା ଆଣି ।

ନିରେଖି ସେ ଦୁଃଖ-ଭରା-ବେନିନେତ୍ର,

କମ୍ପିବ ବିକଳେ ଦମ୍ଭି-ହୃଦ-କ୍ଷେତ୍ର ।

ଦୁଃଖ ରାଶୀ କିବା ହୋଇ ମୂର୍ତ୍ତମତୀ,

ଉଭା, ସମଦୁଃଖୀ-ନବଯୁବା କତି !

ଦିନକେ ଯେ ଧରୁଥିଲା ତିନି ବେଶ,

ତାର ଏ ଅବସ୍ଥା ମର୍ମ ଭେଦୀ କ୍ଳେଶ,

ଦେଖି ସୁଦ୍ଧା କିଏ ଯିବ ବା ପରତେ ?

ପରତେକି ପଦ୍ମ ଫୁଟିଲେ ପର୍ବତେ ?

ଜ୍ୟୋତ୍ସ୍ନାଜାଳେ ହସୁଥିଲା ଧରାତଳ,

ଦିଶିଲା ସୁନ୍ଦରୀ ବଦନ ମଣ୍ଡଳ ।

ନ ଚଳିଲା କେଣେ ତରୁଣ ପହଣ୍ଡ,

ଜଡ଼ ପ୍ରାୟ ଉଭା ହେଲା ଏକ ଦଣ୍ଡ ।

କମ୍ପକଳେବରେ ଶୋଭାଙ୍ଗୀ ସତ୍ଵର,

ଆଲିଙ୍ଗିଲା, ଧରି ଯୁବା କଳେବର ।

ପ୍ରତି ଆଲିଙ୍ଗନ କଲା ଯୁବା ମଣି,

ହଜାଇ କି ମଣି ପ୍ରାପ୍ତ ହେଲା ଫଣୀ?

କଣ୍ଠ ରୁଦ୍ଧ ହେଲା ବାଷ୍ପ ଗଦ ଗଦେ,

କାହା ମୁଖୁଁ ବାଣୀ ନ ସ୍ଫୁରଇ ପଦେ ।

ଅତି ସୁଖେ ମୁକ ହୋଇଥାନ୍ତି ଜନେ,

ମନ କଥା ରହିଯାଏ ମନେ ମନେ ।

ନିରୀକ୍ଷିଲେ ସ୍ନେହଭରେ ପରସ୍ପର,

କେତେ କ୍ଷଣେ ଲଭି ବାକ୍ୟ ଅବସର ।

ଭାଷିଲା କନକ ଖେଳା-ଖଞ୍ଜ-ନାକ୍ଷୀ,

''କରିଥିଲି ନାଥ ଦେବ ଧର୍ମେ ସାକ୍ଷୀ ।

ହୋଇବାକୁ ତବ ଚରଣ କିଙ୍କରୀ,

ଜନକ ହେଲେ ସେ ସତ୍ୟପଥେ ଅରି ।

ମାନବ ଚିନ୍ତାର ସଦା ଅନ୍ତରାୟ,

ଦୈବମତ ତାକୁ ଅଛି କା ଉପାୟ?

ସଇକତ ସେତୁ ଯଥା ଉର୍ମିଘାତେ,

ରମ୍ଭା-ଉପବନ ଯଥା ଖର ବାତେ;

ମାନବର ଶତ ସହସ୍ର କଳ୍ପନା,

ଚୂନାକରେ କ୍ଷଣେ ବିଧି ବିଡ଼ମ୍ବନା ।

ଖୋଜି ଖୋଜି ଏଥି ଆସିଅଛି ନାଥ,

ନିବେଦିବା ପାଇଁ ବିବାହ ବୃତାନ୍ତ ।

ବରିଛନ୍ତି ତାତ ଅନ୍ୟସ୍ଥାନେ ବର,

ହେବ, ଆଠଦିନେ ବିବାହ ମୋହର ।

ସତ୍ୟକରି ପ୍ରଭୁ ଲଙ୍ଘିଲଇଁ ବଳେ,

ଧରିବି ଏ ଦେହ କେଉଁ ପୂଣ୍ୟଫଳେ !

ଶ୍ରୀଚରଣେ ତବ ଏତିକି ପ୍ରାର୍ଥନା,

ଦାସୀପ୍ରତି ଉଣା ନୋହୁ କୃପା-କଣା ।

ସତ୍ୟ ଭ୍ରଷ୍ଟାବୋଲି ନ ବହିଣ ରୋଷ,

କ୍ଷମ, ପ୍ରଭୁଗୁଣେ ଅଭାଗିନୀ ଦୋଷ ।

ଏ ଜନମେ ଏହି ଶେଷ ସମ୍ଭାଷଣ,

ପର ଜନ୍ମେ ଯେହ୍ନେ ଲଭେଁ ଶ୍ରୀଚରଣ ।

ପୂରାନ୍ତୁ କାମନା ପ୍ରଭୁ ଦୟାମୟ,

ସତ୍ୟ ଲାଗି କଲି ପ୍ରାଣ ବିନିମୟ ।

ଘେନି ପଦ ରଜ ଯାଉଛି ଅଭାଗୀ,

ଏହି ଶେଷ ଦେଖା ଏ ଜନମ ଲାଗି ।

ଏତେ ଭାଷି ବାଳା ଶୋକ ଗଦ ଗଦେ,

ଉତ୍କଣ୍ଠେ ଲୁଟାଇ ଶିର ଯୁବା ପଦେ,

ଧୀର ପଦକ୍ଷେପେ ହେଲା ଅଗ୍ରସର,

ଚକ୍ରବାକୀ ଯଥା ଖେଦେ ଜର ଜର ।

ସନ୍ଧ୍ୟାକାଶେ ଅବଲୋକି ନିଶାନାଥେ,

ବିକଳେ ଚଳଇ ତେଜି ନିଜ କାନ୍ତେ ।

ବିଲୋକି ଏସନ ଦାରୁଣ ଘଟଣା,

ହେଲା କିଶୋରର ଚିତ୍ତ ବୃତ୍ତି ବଣା ।

ପଡ଼ିଲା କି ଶିରେ ଦାରୁଣ-ଅଶନି,

ଅବା ଶତଧାରେ ଦଂଶି ଦେଲା ଫଣୀ ।

ହୃଦସ୍ଥଳ ତୀବ୍ର–ଦୁଃଖେ ଆଲୋଡ଼ିତ,

ସିନ୍ଧୁ ଯଥା ଭୀମ-ବାତ୍ୟା-ବିକ୍ଷୋଭିତ ।

ଆବାଲ୍ୟ ସଙ୍ଗିନୀ ହୃଦୟ ଇଶ୍ଵରୀ,

ପ୍ରେମପାଇଁ ଯାର ଦଶା ଏତେ ସରି ।

ଯାହା ପ୍ରେମେ-ପ୍ରାଣ କରି ଅଛି ପଣ;

ଯାହାପାଇଁ ଭୋଗେ ବୁଭୂକ୍ଷା କଷଣ ।

ନ ରୁଚଇ ଅନ୍ନ ବ୍ୟଞ୍ଜନ ଅମୃତ,

ହୋଇବାରୁ ସେହି ପ୍ରେମୁଁ ଉନମୁକ୍ତ ।

ସେହି ପ୍ରେମ ବସେ ତୁଚ୍ଛ ମଣି ପ୍ରାଣ,

କରେ ସେ ଜୀବନ-ପ୍ରଦୀପ ନିର୍ବାଣ ।

କା' ଦେହ ସହିବ ଏ ଦାରୁଣ କ୍ଳେଶ ?

ପବି ଦ୍ରବି ଯିବା ଅତୀବ ଅକ୍ଳେଶ ।

ନ ପାରିଣ ଯୁବା ଧଇର୍ଯ୍ୟ ସମ୍ବରି,

ନବ ରୂପସୀକି ପ୍ରେମେ କୋଳ କରି;

ଅଶ୍ରୁ ଥନ ଥନ ନୟନେ ଅନାଇ ;

କହିଲା ଯୁବତୀ-ମଣିକି ମନାଇ ।

"ନୁହ ଚପଳାଙ୍ଗି-ବିଚଳିତ ଏତେ,

ବିଧାତା ଅଧୀନ ଭବେ ଜୀବ ଯେତେ ।

ଅସାଧ୍ୟକୁ ବିଧି କରଇ ସାଧନ,

ସିନ୍ଧୁ ନ-କରେ ତା' ଆଜ୍ଞାକୁ ଲଘଂନ ।

ଚନ୍ଦ୍ର ସୂର୍ଯ୍ୟ ଆଦି ଜ୍ୟୋତିଷ୍କ ମଣ୍ଡଳି,

କେହି ତା' ଆଦେଶୁଁ ନ ପାରନ୍ତି ବଳି ।

ମାନବ ଦେହରେ ଅଛି କି ଶକତି,

ନିଜ ହାତେ ରଖି ପାରିବ ନିୟତି?

ପ୍ରାଣ କିମ୍ପା ତୁଚ୍ଛ ମଣୁଛ ସୁନ୍ଦରି,

ସତ୍ୟ ତୁମ୍ଭ ଦୃଢ଼ ଅଛି ପୂର୍ବ ପରି ।

ସତ୍ୟହାନି କେବେ ହେବ ନାହିଁ ତିଳେ,

ଥିବ ଚିରଦିନ ସଲିଳେ ଅନିଳେ ।

ହେବ ଏ ଯେ ବିଭା ସତ୍ୟ ପ୍ରତିକୂଳ,

ନୁହେ ତୁମ୍ଭ ଦୋଷ ପିତା ତୁମ୍ଭ ମୂଳ ।

କହୁଅଛି ସତ୍ୟ ଧର୍ମ ସାକ୍ଷୀ କରି,

ନ ତେଜିବି ହୃଦୂଁ ତୁମ୍ଭଙ୍କୁ ସୁନ୍ଦରି ।

ତୁମ୍ଭ ପ୍ରୀତି ସଦା ହୃଦୟରେ ଧାଇ,

ଯାପିବି ଜୀବନ କଉମାରେ ଥାଇ ।

ପ୍ରୀତି ବିନିମୟେ ବିକିଛି ଜୀବନ,

ନ କରିବି ଆନ ବିନିତା ବରଣ ।

ମୋହ ପାଇଁ ତିଳେ ନ କରି ଆପତ୍ତି,

ବିଭାହୋଇ ଭୋଗ ନବ ପ୍ରାଣପତି ।

ସତ୍ୟଭଗ୍ନେ ଯେବେ ମଣୁଛ ଅନ୍ୟାୟ,

ପିତ୍ରାଜ୍ଞା ଲଙ୍ଘନ କେଉଁ ଧର୍ମ ନ୍ୟାୟ ?

ପିତ୍ରାଦେଶ ଶିରୋଧାର୍ଯ୍ୟ ଅପତ୍ୟର,

ଜାଣି ଶୁଣି ବୃଥା ଆପତ୍ତି ନ କର ।

ମୋର ପ୍ରେମେ ଯେବେ ହୋଇଅଛ ବଶ,

ମୋ ବଚନ ପ୍ରତିପାଳିବ ଅବଶ୍ୟ।

ଏହି ମୋର ଶେଷ ବାଣୀ ତୁମ୍ଭ ପ୍ରତି,

ହୃଷ୍ଟଚିତ୍ତେ ବର ନବ ପ୍ରାଣପତି ।”

ଭାଷି ଏତେ ଯୁବା ହୋଇଲା ମଉନ,

ଚାହିଁ, କନକାଙ୍ଗୀ-କନକ ବଦନା ।

କିଛିକାଳ ରହି ନିର୍ବେଦେ ଲୋଳାକ୍ଷୀ,

ବୋଇଲା, ଲୋତକେ ପୂର୍ଣ୍ଣ ବେନି ଆଖି ।

"ନୁହଇ ନାଥ ଏ ଦୋଷ ପିତାଙ୍କର,

ଅଭାଗିନୀ ଭାଗ୍ୟଲିପି ଏ ନିକର I

ମନ୍ଦ ଭାଗ୍ୟେ ଜଡ଼ ହୋଇଥାନ୍ତି ଦେବେ,

ଏଣୀ ଦୁଃଖ ବ୍ୟାଧ ଶୁଣଇ କି କେବେ ?

ପୋଡାକରମକୁ ସବୁ ବିପରୀତ ।

ତାତ ଯା’ହିତକୁ ମଣିଲେ ଅହିତ,

ନ ଡରିଣ ଲୋକନିନ୍ଦା ଉପହାସେ,

ପ୍ରକାଶିଛି ସର୍ବ ଜନନୀର ପାଶେ ।

ତବ ପ୍ରେମେ ମୋର ପ୍ରାଣ ବିନିମୟ,

ସଖୀହାତେ କେତେ କରି ଅନୁନୟ,

ଜଣାଇଛି, ଶୁଣି ଜନନୀ ବିଶେଷ l

ଦେଇଛନ୍ତି ତାତେ ହିତ ଉପଦେଶ,

ବିଫଳ ହୋଇଛି କର୍ମ ଅବଳକୁ,

ବିଷ କଲେ ତାତ ପୀୟୁଷ-ଫଳକୁ I

ହା ତାତ ! ମଙ୍ଗଳ ପାଇଁ ଯାହା କଲ,

ସେ ସିନା ପ୍ରାଣକୁ କରେ କଲବଲ ।

ଭଲ ବୋଲି ଯାହା ତୁମ୍ଭ ସୁବିଚାରେ

ବିପରୀତ ତାହା ଅଭାଗିନୀଠାରେ ।"

ତରୁଣେ ବିଲୋକି ନାରୀକୁଳେଶ୍ଵରୀ l

ଅବିରଳ ନେତ୍ରୁଁ ବୁହାଇଲା ବାରି ।

ଶଙ୍କାଚିତ୍ତେ ପଙ୍କେରୁହ-ନେତ୍ରୀପରେ,

ଦୃଷ୍ଟିଦେଇ ଯୁବା କମ୍ପିଲା କାତରେ ।

ଆହା ସେ ବେନିଙ୍କ କରୁଣ ଚାହାଁଣି,

ସୁମରି ଦୁଃଖରେ ହୃହ ହୁଏ ହାଣି ।

କେଡ଼େ ଦୁଃଖ ନରେ ଦେଉ ତୁ ପୀରତି!

ନାହିଁକି ତୋ ହୃଦେ ମାୟା କାହାପ୍ରତି !

ତୋଯୋଗୁଁ ଦୁର୍ବଳ ହୁଏ ବଳବାନ,

ବଳବନ୍ତେ ପୁଣି କରିଦେଉ ସାନ ।

ନୃପତି ଫକୀର ହୁଏ ପ୍ରୀତିବଶେ,

ପ୍ରୀତିରେ ନିକୃଷ୍ଟ ଉଚ୍ଚାସନେ ବସେ l

ଧନ୍ୟ ପ୍ରେମ ତୋର ଶକ୍ତି ଅଦଭୁତ,

ମହାବୀରେ କରୁ କ୍ଷଣେ ଜୀବନ୍ନୃତ ।

କାହାକୁ ଆନନ୍ଦ- ପାରାବାର- ଅଙ୍କେ,

ଭାବ-ବୀଚି କୋଳେ ଖେଳାଉ ନିଶଙ୍କେ,

କାହାଠାରେ ପୁଣି ହୋଇ ପ୍ରତିକୂଳ,

ଉଚ୍ଛେଦ ସାଧନ କରୁ ତାର ମୂଳ ।

ବେନିଫଳ ଏକି, ଫଳେ ଏକ ଡାଳେ?

ବରଦ ହେଉକି ଭାଗ୍ୟ ଅନୁସାରେ ?

କେତେ ଆଶା- ସୌଧ ଗଢ଼ନ୍ତି ଗଗନେ,

ତୋ' ନିଗଡ଼େ ପଡ଼ି ପ୍ରୀତିପ୍ଳୁତ-ଜନେ ।

ଧନ୍ୟପ୍ରୀତିତୋରମୋହନ - ମନ୍ତର,

ତୁମମଣେ ପ୍ରାଣ ଯେ ବଶ ତୋହର ।

କି ମାନବ, ପଶୁ, ବୃକ୍ଷ, ଲତା, ଜଡ଼,

ତୁଟି ନ ପାରନ୍ତି ପୀରତି ନିଗଡ଼ ।

ପ୍ରେମେରସି ଶଶୀ ଢାଳେ କରଜାଳ,

ପ୍ରେମେ ଆତଯାତ ଗ୍ରହ ଋକ୍ଷମାଳ ।

ପ୍ରେମାଭାବେ କେହି ନ ପାରନ୍ତି ରହି,

ପ୍ରୀତିବସେ ସିନା କୁସୁମ ଫୁଟଇ ।

ଧନ୍ୟ ପ୍ରୀତି ତୋର ପ୍ରଭୁତ ଶକତି ।

କେହି ତୋ’ପାନ୍ଦରୁ ନ ପାରନ୍ତି ବର୍ତ୍ତି,

ତୋ’ଶକତି ଭବେ କି ନକରି ପାରେ ?

କନକ ମହେନ୍ଦ୍ର କିପାଁଇ ଏଠାରେ ?

କାଲି ତ ଆନନ୍ଦେ ମାତିଥିଲେ ବେନି,

ଆଜିସିନା ତାଙ୍କ ଦୁଃଖ ତୋହ ଘେନି ।

ଆତ୍ମହରା ହୋଇ କିଶୋର କିଶୋରୀ,

ରହିଲେ ନିର୍ବେଦେ ନିଜକୁ କିଶୋରି ।

ନିଶିଅର୍ଦ୍ଧ ହେଲା ନାହିଁ ଚିନ୍ତା ତହିଁ,

ମୃଣ୍ମୟ ସଂକାଶ ବେନିଛନ୍ତି ରହି ।

କେତେକ୍ଷଣେ ବାଳା କ୍ଷୀଣ-ଭଗ୍ନ-ସ୍ଵରେ,

ଭାଷିଲା ବିଷାଦ-ସ୍ଫୂରିତ-ଅନ୍ତରେ ।

"ତବାଦେଶ ପ୍ରଭୁ ଶିରୋ-ଧାର୍ଯ୍ୟ କରି,

ବିଦାୟ ହେଉଛି ଶ୍ରୀପଦୁଁ କିଙ୍କରୀ ।

ନ କରିବି ତବ ଆଦେଶ ଲଘଂନ,

ମାତ୍ର ଶ୍ରୀଚରଣେ ଏହି ନିବେଦନ ।

ବିବାହ ପୂର୍ବରୁ କୃପା କରି ଥରେ,

ଦରଶନ ଦେବେ ଏ ଅଭାଗିନୀରେ ।

ଚାହିଁଥିବି ଏହି ବନ ଉପକଣ୍ଠେ,

ଭାଗ୍ୟେ ଯେହ୍ନେ ପ୍ରଭୁ ଦରଶନ ଘଟେ ।

ଆଠଦିନ ମଧ୍ୟେ ଆଉ ଯୋଗ ନାହିଁ,

ରହିଲି ବିବାହ ଦିନକୁ ଅନାଇଁ ।

କୃପା ପରବଶ ହୋଇ ଦୀନା ପ୍ରତି,

ଦରଶନ ଦେବେ, ଏତିକି ମୀନତି ।

ଏତିକିରେ ଆଜି ହେଉଛି ବିଦୟ,

ଦୁଖ-ସ୍ରୋତେ ପଡ଼ି ଅଭାଗିନୀ, ହାୟ !

ବିଳମ୍ବ ହେଲାଣି ପିତା ହେବେ ରୋଷ,

କ୍ଷମିବ, ଶ୍ରୀପଦେ କରିଛି ଯା ଦୋଷ ।"

ରାକାନିଶାକର-ମୁଖୀ ରସାତଳେ,

ଯୁବା ପଦଧରି ଲୋଟିଲା ବିକଳେ ।

ସ୍ନେହାଞ୍ଚିତ-କରେ ଧରି ଯୁବାବର,

ଚୁମ୍ବିଲା ସୁନ୍ଦରୀ ଚାରୁ-ବିମ୍ବାଧର ।

ପ୍ରେମେ ଆଲିଙ୍ଗନ କରି ପରସ୍ପରେ,

ଲେଉଟିଲେ, ଦୁଃଖେ ଯେ ଯାହା ବାସରେ ।

ପାଦକ୍ଷେପେ ତିଳେ ନ ବଳଇ ମତି,

ଅଲକ୍ଷରେ ରୁଦ୍ଧ ହେଉଅଛି ଗତି ।

ବାରି ନ ପାରନ୍ତି ବାଟ କେ ଅବାଟ,

ହୃଦୟେ ଦାରୁଣ-ଦୁଃଖର ବିଭ୍ରାଟ ।

ପରସ୍ପର ମନ ପରସ୍ପରଠାରେ -

ନିହିତ, ଚୁମ୍ବକ ଯେସନ ପ୍ରାକାରେ

ଥାଏ ସନ୍ନିହିତ, ସୂକ୍ଷ୍ମଶକ୍ତି ତାର

ବହୁ ଦୂରୁଁ କରେ ଗୁଣର ପ୍ରଚାର ।

ବାସ୍ତବ ଏ ଅନ୍ଧ ସମାଜ-ବନ୍ଧନ -

ହେତୁ ହେଉଅଛି ଅଘଟ ଘଟନ ।

ଆର୍ଯ୍ୟ ଦ୍ଵାହି ଦେଇ କରନ୍ତି ଯେ କାର୍ଯ୍ୟ,

ନ କରିବେ କେବେ ପତିତ-ଅନାର୍ଯ୍ୟ ।

ଏହିକି ପବିତ୍ର ଆର୍ଯ୍ୟ ଗଉରବ ।

ଜନକ ସୁତାର ହାତେ ପରାଭବ ।

କନ୍ୟା ଇଚ୍ଛାମତ କରିନେଲେ ବର,

ଆର୍ଯ୍ୟ ସମାଜକୁ ହେବ ଅସୁନ୍ଦର,

ସର୍ବନେତ୍ରେ ହେବ ସେ ମହାଅସତୀ

ଆହା ଭବେ ତାର ଅଛି କେଉଁ ଗତି !

ନାହିଁ ଆର୍ଯ୍ୟ ଜାତି ପୂତ ଆର୍ଯ୍ୟ ଧର୍ମ,

ଆର୍ଯ୍ୟଙ୍କର ଆର୍ଯ୍ୟ ସୀମାତୀତ କର୍ମ

କେମନ୍ତେ ସହିଛ ଦେବୀ ବସୁମତି ?

କେମନ୍ତେ ସହିଛ ହେ ବ୍ରହ୍ମାଣ୍ଡପତି ?

ମନୁଷ୍ୟ ସମାଜେ ପଶୁତ୍ଵ ବେଭାର

ଶୁଭୁନାହିଁ କି ଏ ଦୁଃଖ ହାହାକାର ?

ଭବୁଁ କିବା ଉଠିଗଲା ଆର୍ଯ୍ୟ ଧର୍ମ ?

ନତୁ, ଗୁରୁଜନେ କରନ୍ତେ ଏ କର୍ମ ?

ଦାମ୍ପତ୍ତ୍ୟ ପ୍ରଣୟେ ସୁଖ ଦୁଃଖ ଯାହା,

ଭୁଞ୍ଜିବେକି କେବେ ଗୁରୁଜନେ ତାହା ?

ଯାଘେନି ମାନବ ଭବ- ପାରାବାର

ଅକ୍ଳେଶରେ ହୋଇଯାଇ ପାରେ ପାର,

ତାର ଭଲମନ୍ଦ ସେହି ସିନା ଜାଣେ ।

ସେ ହେତୁ ସ୍ଵଇଚ୍ଛା ମତ ବରି ଆଣେ ।

ଗୁରୁଜନେ କିମ୍ପା ତହିଁ ପ୍ରତିକୁଳ ?

ଛେଦନ୍ତି ଅପତ୍ୟ ସୁଖତରୁ-ମୂଳ ।

ଦେଉଥାନ୍ତି ସର୍ବେ ସମାଜର ଦ୍ଵାହି,

ହେଉଥାନ୍ତି ଆର୍ଯ୍ୟ ଧର୍ମ ଟେକ ଗାଇ,

ଧିକ ଆର୍ଯ୍ୟପଣ ଧିକ ଏ ସମାଜ

ଧିକ ମାନବହ ଧିକ ତୁମ୍ଭ କାର୍ଯ୍ୟ ।

ପଶୁଠାରୁ ହୀନ ମନୁଷ୍ୟ ହୋଇଣ,

ପଶୁ ସମାଜରେ ନାହିଁ ତ ଏସନ ।

ଦେଖାଇ ଦିଅନ୍ତା ଯଦି ମୋତେ କେହି,

ଏ ଭଣ୍ଡନୀତିର ନିୟାମକ ଏହି,

ଶତ ପଦାଘାତ କରନ୍ତି ତା' ଶିରେ ।

ଖେଦାନଳ ଲିଭିଯାଆନ୍ତା ଅଚିରେ ।

ତୁଟିଯାନ୍ତା ଏହି ସମାଜ ମ୍ଳେଛହ,

ବଡ଼ନ୍ତା ଜାତିର ସୌଭାଗ୍ୟ, ମହତ୍ତ୍ଵ ।

ଧିକ ଯା' ତୁମ୍ଭଙ୍କୁ ଉଡ଼ାଉଛ ବାନା,

ଆର୍ଯ୍ୟନାମେ କରି କଳଙ୍କ ରଟନା ।

ଭଣ୍ଡ ସମାଜର ବର୍ବର ଆଟୋପ ।

ନାରୀର ନାରୀତ୍ତ୍ଵ କରିଅଛି ଲୋପ ।

କାହିଁଗଲେ ସତୀ-ସାବୀତ୍ରୀ-ସୁନ୍ଦରୀ ?

ଯମକୁ ଯେ ତେଜେ ଥିଲେ ବଶକରି l

ପ୍ରେମେବଶ ହୋଇ ନଡ଼ରି ବିପଦେ

ଭ୍ରମୁଥିଲା କଣ୍ଟକିଳ-ବନ-ପଦେ ।

ପୀରତୀ-ମନ୍ତର ଚିତ୍ତେ ପରାଧ୍ୟାଇ,

ମୃତ ପତି ଆଣିଥିଲେ ବାହୁଡ଼ାଇ ?

ଏବେ ତରୁଣୀ ଏ ପୁଂସ କଶାଘାତେ

ସ୍ଵାମୀ ନାଶପନ୍ଥା ଭେଉଛନ୍ତି ହାତେ I

ଦେଖୁ ନାହିଁକହେ ଆର୍ଯ୍ୟ କୁଳବୀରେ?

କି ଦୁର୍ନୀତି ନିତି ଘଟୁଛି ମହୀରେ ।

ସ୍ଵାମୀଛାଡ଼ି ପତ୍ନୀ ଉପପତି ରସେ ।

ମଜ୍ଜେ ଅନୁକ୍ଷଣ, ରଜନୀ ଦିବସେ,

ସେଥିପାଇଁ ଶତଶତ ହତ୍ୟାକାଣ୍ଡ,

ପତିଥାଉଁ ପତ୍ନୀ ବୋଲେ ମୁହିଁ ରାଣ୍ଡ ।

ବଢ଼ୁଛି କି ଆର୍ଯ୍ୟ ସମାଜ ଗୌରବ ?

ରଚିଛଯେ ଭଣ୍ଡ-ନିୟମ ସରବ ।

ନକୂଳ ବିଭ୍ରମେ ପାଳୁଅଛ ସର୍ପ ।

ଚୂର୍ଣ୍ଣ କରୁଅଛ କରେ ନିଜଦର୍ପ ।

ଲାଳନା-ବିମଳ-ସତୀତ୍ଵ-ପସରା,

ଲୁଟି କରାଉଛି ବିଜ୍ଞପଣେ ପରା ।

ଜାଣନାହିଁ ସ୍ରୋତ ପଥେ ଦେଲେ ବାଧା,

ସବେଗେ ଧାମଇଁ ହୋଇ ସେ ଶତଧା?

ଅନ୍ତରେ ବହଇ ଏସେ ପ୍ରୀତିସ୍ରୋତ,

ନ ଜାଣକି ଭବ ସାରା ଓତ ପ୍ରୋତ ?

ରୋଧିବାକୁ ତାକୁ ଶକ୍ତି ଅଛି କାର?

ନିରୋଧିଲେ ଧରେ ଭୀଷଣ ଆକାର ।

କେଉଁ ବିଜ୍ଞପଣେ ରୋଧ ତାର ଗତି ?

ସମାଜର ତହିଁ ହେବକି ସଦ୍‌ଗତି ?

ଲାଭମାତ୍ର ତହିଁ ହେବ ଅମଙ୍ଗଳ,

ସୁବୃକ୍ଷେ ଫଳିବ ବିଷମୟ-ଫଳ।

ଜାଣି ଅମଙ୍ଗଳ କରୁଛ ବରଣ ,

ଧିକ୍‌ ତୁମ୍ଭ ମହାମୂର୍ଖ - ବିଜ୍ଞପଣ ।

ତରୁଣୀର ଏହି କରୁଣ କ୍ରନ୍ଦନେ,

ଧ୍ଵଂସ ହେଉ ଆର୍ଯ୍ୟଜାତି ଅଳ୍ପଦିନେ ।

ନରହୁ ଏ ଅନ୍ଧ ସମାଜ ବନ୍ଧନ,

ଅଜ୍ଞାନ ଅନ୍ଧାର ହେଉ ଉନ୍ମୋଚନ ।

ହେ ମଙ୍ଗଳମୟ ଦିଅ ଏହି ବର,

ଫେରିଆସୁ ପୂର୍ବ ଆର୍ଯ୍ୟତ୍ୱ ଅ।ର୍ଯ୍ୟର ।

 

 

 

ତୃତୀୟ ସର୍ଗ

 

କିଶୋର କିଶୋରୀ ଶୋଇ ଶଯ୍ୟାପରେ ,

କେତେ ଭାବ ଭାବୁ ଅଛନ୍ତି ହୃଦରେ ।

ଚିନ୍ତା-ନଈ ବଢ଼ି ଆଶା- କଳ୍ପବଟେ,

ଓପାଡ଼ି ପିଟଇ ଦୁଃଖ-ସିନ୍ଧୁ-ତଟେ ।

ନ ଦିଶଇ ରାହା ଅନାଇଲେ ଯେଣେ,

ଶର ବିଦ୍ଧ ମୃଗ ଯଥା ଏଣେ ତେଣେ -

ଭ୍ରମୁଥାଏ ,ଦିଗ ନ କରି ନିର୍ଣ୍ଣୟ,

ସମଭୂମି ମଣେ ଘନବନ ମୟ ।

ତରୁଣ ତରୁଣୀ ବେନିଙ୍କର ମନ ,

ହୋଇଛି ତେସନ ମାର୍ଗଣେ ଭେଦନ ।

ଦୂରାଶା-ବିଶିଖ ବାଜି ମର୍ମସ୍ଥଳେ,

ଭ୍ରମାଏ ବେନିଙ୍କ ପରାଣ ବିକଳେ ।

ଦୃହୟରୁ କେତେ ଉଠୁଛି ଉଚ୍ଛ୍ୱାସ,

କ୍ଷଣେ କ୍ଷଣେ ରୁଦ୍ଧ ହେଉଅଛି ଶ୍ଵାସ ।

ନାନା ଚିନ୍ତାକରି ନାଗର ନାଗରୀ,

ଯାପିଲେ ବିଷମ ଦୁଃଖେ ବିଭାବରୀ ।

ନିଶାନ୍ତେ ଉଜ୍ୱଳ-ନବ-ରବି-ଛବି ;

ଉଷା-କ୍ଷୋଷା ବେଶ ନିକୁଞ୍ଜ-ଅଟବୀ,

ବଳଭାନୁ-ସ୍ଵଚ୍ଛ କନକ-କିରଣ-

ବିଛୁରିତ ଫୁଲ୍ଲ-ପଙ୍କଜିନୀ-ବନ ।

ପରଭୁତ-କଳରୁଢ଼ ଚ୍ୟୁତଡାଳେ,

ଏ ଆଦି ରୁଚିର ଯାହା ଉଷାକାଳେ ,

ନ ଯାଉଛି ତିଳେ ସେ ଦୃଶ୍ୟେ ନୟନ,

ସଦା ମର୍ମ ଭେଦି-ବିଷାଦେ ମଗନ ।

କ୍ଷଣପରେ କ୍ଷଣ ଲବଲିତା ଘଡ଼ି,

ଦିନପରେ ଦିନ ଚାଲିଗଲା ଗଡ଼ି ।

ଚାହୁଁଚାହୁଁ ସାତ ଦିନ ହେଲା ଶେଷ,

ଉପସ୍ଥିତ ଏବେ ବିବାହ ଦିବସ,

ବିଧିମତ ହେଲା ବିଭା ଆଡ଼ମ୍ବର,

ବନ୍ଧୁ ବାନ୍ଧବାଦି ମିଳିଲେ ସତ୍ଵର ।

ବାଜିଲା ମଙ୍ଗଳ ବାଜଣା ଅପାର,

ନିନାଦେ ବିନିନ୍ଦି ଚଳ-ପାରାବାର ।

ଆସିଲେ ଗଣକ, ବିପ୍ର, ବନ୍ଦିଗଣ,

ନବସାଜେ ପୁର ହେଲା ବିମଣ୍ଡନ ।

ସୀମନ୍ତିନୀବୃନ୍ଦ ଦେଇ ହୁଳହୁଳି,

ମଣ୍ଡିଲେ କନକେ-କନକ-ପିତୁଳି ।

ବିବାହର ସାଜେ ସଜାଇ ଯତନେ,

ଅନାଇ ରହିଲେ ବର ଆଗମନେ ।

ତେଣେ ଯୁବାବର-ମହେନ୍ଦ୍ରର ମନ,

କନକ ବିରହେ ସଦା ଛନ୍ନ ଛନ୍ନ ।

ଶିରୀଗାଙ୍ଗୀ ଶେଷ ବଚନକୁ ଧ୍ୟାୟୀ,

ରହିଥିଲା ବିଭା ଦିବସେ ଅନାଇଁ ।

ଆଜି ପ୍ରିୟାସଙ୍ଗେ ଭେଟ ହେବା ଆଶେ,

ହସୁଛି ହୃଦୟ ନବୀନ ଉଚ୍ଛ୍ୱାସେ ।

ମାତ୍ର, ଜଳାଭାବେ ମୀନ କେତେକ୍ଷଣ,

ସ୍ଵଭାବ ସିଦ୍ଧତା କରିବ ନର୍ତ୍ତନ ?

ଶୁଷ୍କ –ସଇକତେ ଯଥା ପ୍ରାଣ ବାୟୁ ,

ଉଡ଼ିଯାଏ ତାର କ୍ଷଣେ ଚାହୁଁ ଚାହୁଁ ,

ତଥା ଯୁବା ହୃଦେ ଆନନ୍ଦ ଗରବେ,

ଖେଳି, ମିଳାଉଛି ଦୂରାଶାଗରଭେ ।

ନିରାଶ-କୁହେଳି ଆଶା-ପଙ୍କଜରେ,

ଜାଳି ଦେଉଅଛି, ଅଜସ୍ର ପାତରେ ।

ଆଶାବାନ୍ଧି ପୁଣି ନିରାଶ ହୃଦୟେ,

କେତେ ଭାବ ଯୁବା ଭାବୁଛି ଅଥୟେ ।

ମଧ୍ୟାହ୍ନ ଆଗତ ଦେଖି ଦୁଃଖ ସୁଖେ ,

ଗମିଲା କିଶୋର ଉପବନ ମୁଖେ ।

ଭେଟିବାକୁ ପ୍ରାଣ-ପ୍ରଣୟିନୀ ତହିଁ,

ବସିଲା ନିଷ୍ପନ୍ଦେ, ବସିଥିଲେ ଯହିଁ ।

ସେହି ଉପବନ ସେହି କାଷ୍ଠାସନ ,

କରୁଥିଲେ ଯହିଁ କରୁଣେ କ୍ରନ୍ଦନ ।

ସେହି ଲତାକୁଞ୍ଜ ସୁଶୀତଳ ଛାୟା,

ସୁଖେ ଯହିଁ ବୁଲୁଥିଲେ କାନ୍ତ ଜାୟା ।

ବନ ଜୀବକୁଳ ଆତପେ ତାପିତ,

ଶୁଭୁନାହିଁ କୋକିଳାର କଳ ଗୀତ ।

ସାଇଁ ସାଇଁ ସ୍ଵରେ ବହୁଛି ପବନ,

ବାଲୁକା-ପଟଳେ ଆଚ୍ଛାଦି ଗଗନ ।

ମୃତପିଣ୍ଡ ପରି ନୀରବ ସରବ,

ଶୁଭେ ବେଳେ ବେଳେ ଝିଲ୍ଲି କଣ୍ଠରବ ।

ସେ ମହା ବିଜନେ ସୁଶୀଳା ଦର୍ଶନେ,

ବସିଲା ତରୁଣ ଉତ୍‌ପକ୍ଷ୍ମ ଲୋଚନେ ।

କନକ ସୁନ୍ଦରୀ ବିଭା ମହୋତ୍ସବ,

ନରନାରୀଗଣ ପ୍ରମତ୍ତ ବିଭବେ ।

ଏକାନ୍ତ କକ୍ଷରେ କନକ ସୁନ୍ଦରୀ,

ଚିନ୍ତାମଗ୍ନା, ଅଭିନବ ବେଶ ଧରି ।

ନାନା ଆଭରଣେ ବିମଣ୍ଡିତ ଅଙ୍ଗ,

ଖେଳେକି ଶରୀରେ ଶୋଭାର ତରଙ୍ଗ ?

କୃଷ-କଟୀପରେ ଚାରୁ ଝୀନ ଶାଟୀ,

ପଦେ କଳନାଦୀ-ଭୂଷା ପରିପାଟୀ ।

ସୌମ୍ୟ-ଭାଲେ ରମ୍ୟ ରେଖା ସିନ୍ଦୂରର,

ଅଳକ-କୃପାଣେ ଫଳକ ଭାସ୍ୱର ।

ଶ୍ରୁତିଯୁଗେ ଲମ୍ବ-ଲୋଳିତ କୁଣ୍ଡଳ,

ଶବଳିତ ବର୍ଣ୍ଣେ ଚୁମ୍ବେ ଗଣ୍ଡସ୍ଥଳ ।

ନାସାଗ୍ର ମୟୁର ପଡ଼ି ବିମ୍ବାଧରେ;

ଖଣ୍ଡଚନ୍ଦ୍ରେ ହେମଦଣ୍ଡ ଶୋଭାଧରେ ।

ଗଳେ ମାଳ ପନ୍ତି ପନ୍ତି ଗଜମୋତି,

ଅର୍କ ଅଗ୍ରେ କିବା ଶତ୍ରଧନ ଜ୍ୟୋତି ।

ଉରଜ-କୋରକେ ବନ୍ଧୁରିତ ଉର,

କଟିରେ କିଙ୍କିଣୀ ରାଜେ ରତ୍ନପୂର ।

ସୁଗୋଲ ନିତମ୍ବ ନିନ୍ଦି ତୁମ୍ବି ଫଳ,

ବିଭାସଇ ପ୍ରଭା ଜଘନ ଯୁଗଳ ।

ପୁଷ୍ପଦଣ୍ଡପାଣି ଦଣ୍ଡକି ଅବା ସେ ?

ପଦେ ଲକ୍ଷାରେଖା ଜବା ଉପହାସେ,

ଚରମେ ଦୋଳିତ କୃଷ୍ଣ-କେଶଗୁଚ୍ଛ ।

ନୃତ୍ୟ ରଚଇକି କେକା ଟେକି ପୁଚ୍ଛ,

ଭାବି ଭାବି ଭାବ ଦୟିନ, କିମନେ,

ସତର୍କିତେ ମୃଦୁ ପଦ ସଂଚାଳନେ ,

ଉପବନ ଅଭିମୁଖେ ଏକାକିନୀ,

ଚଳିଲା, ତରୁଣ ଭେଟେ ମନସ୍ଵିନୀ ।

ଚାହିଁଥିଲା ଯୁବା କ୍ଷୋଭିତ ଅନ୍ତରେ,

ଦୂରୁଁ ଦେଖି ଉଭା ହୋଇ ତରତରେ ।

ନିରିଖିଲା ନବ-ରୂପସୀ ବଦନ,

ନାହିଁ ପୂର୍ବ ପରି ଘନ ଘଟାଛନ୍ନା ।

ପ୍ରଫୁଲ୍ଲ ଦିଶଇ ବଦନ ମଣ୍ଡଳ,

ହରଷ-ତରଙ୍ଗ ଖେଳେ ଅବିରଳ ।

ନାହିଁ ସେ କରୁଣ ଚାହାଁଣି ଆପାଙ୍ଗେ,

ନବଜ୍ୟୋତି ପ୍ରକାଶୁଛି କନକାଙ୍ଗେ ।

ସଙ୍ଗେ ସଙ୍ଗେ ପୁଣି ଏକି ବିପରୀତ ?

ଯୁବାବର ଚାହିଁ ହୋଇଲା ଚକିତ,

କ୍ରୀଡ଼ା-ରସାଣିତ-ଲପନେ ସୁନ୍ଦରୀ ।

ଅଗ୍ରସର ହେଲା, କ୍ରୀଡା ଗତି କରି ।

ତରୁଣ ପୟରେ ଜୁହାରି ସାନନ୍ଦେ,

ଭାଷିଲା ସୁକେଶା ହର୍ଷ ଗଦଗଦେ ।

"ନିରବ କିହେତୁ ହେ ପରାଣେଶ୍ଵର,

ହର୍ଷ ମୁଖେ ଥରେ ଆଲିଙ୍ଗନ କର ।

କି ଦୋଷରେ ଅଭିମାନ ଦୀନା ପ୍ରତି ?

ତବବିନୁ ନାଥ ନାହିଁ ମୋର ଗତି ।

ଆଶୀର୍ବାଦ କର ଦୋଷ କ୍ଷମାକରି,

ଏହି ଭିକ୍ଷା କରେ ଚରଣ କିଙ୍କରୀ ।

ଶେଷ ଦେଖା ଏହି ନ କରି ବାରଣ,

ଘେନ ଅଭାଗୀର ଶେଷ ଆଲିଙ୍ଗନ ।”

ହରଷଗଦ୍ଗଦେ, ଯୁବକରତନେ

ବହୁପାଶେ ବାଳା ବାନ୍ଧି ଆଲିଙ୍ଗନେ,

ଫେଇ କୁଞ୍ଚା-ଅଞ୍ଚଳାଗ୍ର ଗୁପ୍ତଗଣ୍ଠି,

ଭକ୍ଷିଲା ତହିଁରୁ ଆଣି ଏକ ବଟି ।

କିପାଇଁ କି ଦ୍ରବ୍ୟ ଭିକ୍ଷିଲା ଲୋଳାକ୍ଷୀ,

ନ ରହିଲା ଯୁବା ବୁଝିବାକୁ ବାକୀ ।

“କିକଲ, କିକଲ” ଚିତ୍କାରିଣ ବୀର,

ଛଡ଼ାଇ ଘେନିଲା ବାଳାକରୁଁ ଚୀର ।

ଦେଖନ୍ତେ ବଟିକା ମିଶ୍ରିତ ଜହର ,

ଚାହିଁ ଯୁବାମଣି ଅଙ୍ଗ ଥରହର ।

ନସ୍ଫୁଭିଲା ଆଉ ତୁଣ୍ଡରୁ ବଚନ,

ସୁନ୍ଦରୀ ବଦନେ ଚାହେଁ ଘନଘନ ।

ହେଲା ଯା’ ସେକାଳେ ମହେନ୍ଦ୍ରର ମନ,

ଲେଖନୀରେ କେବା କରିବ ବର୍ଣ୍ଣନ ।

ଅନୁଭବି ବିନା ନ ବୁଝନ୍ତି କେହି,

ତାହୃଦ ବେଦନା ସେ ଏକା ଜାଣଇ ।

ରୋମାଞ୍ଚିତ ହେଲା ସର୍ବ କଳେବର,

ଆରକ୍ତିମ ସୋମ୍ୟ-ବଦନ-ମଣ୍ଡଳ ।

ଶତଭାବ ଉଠି ହୃଦୟୁ, କାତରେ,

ମିଳାଇ ଯାଉଛି ବାଜି ଓଷ୍ଠାଧରେ ।

ନ ପାରଇ କିଛି ଭାଷାରେ ପ୍ରକାଶି,

ଭାଷିଲା ସଧୀରେ ପୁଣି ମତ୍ତ କାଶୀ ।

"ନାଥ ! ଭଣ୍ଡ ଆର୍ଯ୍ୟ ସମାଜର ତାପେ,

ନ ପାରିଲି ପାଳି, ସତ୍ୟକରି ଆପେ ।

ଅର୍ଜିଅଛି ଯେଉଁ ଦୋଷ ସେଥିଲାଗି,

ଶ୍ରୀଚରଣେ କ୍ଷମା ମାଗୁଛି ଅଭାଗୀ ।

ପାଳିବାକୁ ମୋତେ ଜନକ ଆଦେଶ,

ଦେଇଥିଲେ ବହୁହିତ ଉପଦେଶ,

ପିତ୍ରାଜ୍ଞା ପାଳନେ ନଥିଲା ଆପତ୍ତି ।

ପିତ୍ରାଦେଶେ ବରିଥାନ୍ତି ଆନପତି,

କିଲାଭ ସେ ବୃଥାବାଧ୍ୟତା ବନ୍ଧନେ ?

ବେନିପକ୍ଷ ସିନା ନଷ୍ଟ ସେ ମିଳନେ,

ତଇଳ ସହିତ ମିଶଇ ତଇଳ ।

ମିଶି ପାରଇ କି ତଇଳେ ସଲିଳ ?

ମିଶାଇଲେ ବଳେ, ବିନ୍ଦୁବିନ୍ଦୁ ହୋଇ,

ନ ମିଶି ତଇଳ ଉର୍ଦ୍ଧ୍ଵକୁ ଉଠଇ ।

କେଉଁକାର୍ଯ୍ୟେ ସେତ ନୁହେ ଦରକାର,

ତୈଳ, ଜଳ ବେନି କୁଳରୁ ବାହାର ।

ସେହିପରି ସିନା ହେବ ଏ ପ୍ରଣୟ,

ବେନିଙ୍କ ଜୀବନ ଚିର ଦୁଃଖ ମୟ ।

ତେଣୁ ମୁଁ ସ୍ଵହସ୍ତେ ନାଶୁଅଛି ପ୍ରାଣ,

ମୋ ଦୁଃଖରେ କିପାଁ ଭାଗୀହେବ ଆନ?

ପାଦପଦ୍ମୁଁ ଏବେ ଦିଅନ୍ତୁ ମେଲାଣି,

ମୃତ୍ୟୁ ମୋର ଅତି ନିକଟ ହେଲାଣି ।

ଯାଉଅଛି ଶିରେ ଦୁଃଖଭାର ବହି,

ହାୟ ! ବିଧି ଯାହା ନ ପାରିଲୁ ସହି ।"

"ଆହା କେଣେ ଛାଡ଼ି ଯାଉଛି ସୁନ୍ଦରି ?

ରହିବି ମୁଁ ଭବେ କାହା ସାହା ଧରି ।

ମୋ ପ୍ରେମରେ ପଡ଼ି ହାରୁଛ ପରାଣ,

ମୋର ହୃଦୟେ କି ନିହିତ ପାଷାଣ।

ତୁମ୍ଭ ପ୍ରେମେ ପରା ଏ ଜୀବନ ବିକା,

କେଉଁ ସୁଖ ପାଇଁ ଜୀଇବି ମୁଁ ଏକା ।

ଶ୍ରେୟୁଁ ଶ୍ରେୟସ୍କର ମୋର ଏ ମରଣ,

ସଖି ଏ ଦାସରେ ରଖ ଗୋ ଶରଣ ।''

ଏତେ କହି ଯୁବା ଗର୍ଭେ ସେହି କ୍ଷଣ,

କଲାସେ ଜହର ବଟିକା କ୍ଷେପଣ ।

ହାନାଥ ! ହାନାଥ ! ଭାଷି ଚମ୍ପାଗୋରୀ,

ଅବିରଳ ନେତ୍ରୁଁ ବୁହାଇଲା ବାରି ।

ତରୁଣୀ ରୋଦନେ ରୋଦିଲା ତରୁଣ,

ଶୋକା-ବେଗ ବୃଦ୍ଧି ହେଲା ଚତୁର୍ଗୁଣ ।

ଦେଖୁଁ ଦେଖୁଁ ରୁଦ୍ଧ ହେଲା କଣ୍ଠଦ୍ଵାର,

ନହୋଇଲା କଥା ଅନ୍ତରୁ ବାହାର ।

ପରସ୍ପର କରଛନ୍ଦି ବେନି ଗଳେ ,

ଚାହିଁଲେ ଉତ୍‌ପକ୍ଷ୍ମେ ବଦନ କମଳେ ।

କରିବାକୁ ହୃଦ ବେଦନା ପ୍ରକାଶ,

ନ ପାଇଲେ କେହି ଦଣ୍ଡେ ଅବକାଶ ।

ଉତ୍ସବେ ପ୍ରମତ୍ତ ତେଣେ ପୌର ଜନେ,

ନ ଦେଖି ବାଳାକୁ ଭାଳନ୍ତି ବିଷର୍ଣ୍ଣେ ।

ଖୋଜି ଖୋଜି ଯହୁଁ ନ ପାଇଲେ କାହିଁ;

ପିତା ପାଶେ ତାର ଦାସୀ ଗଲାଧାଇଁ ।

ବିଭା ବେଶେ ବର ଉପସ୍ଥିତ ଦ୍ଵାରେ,

ବ୍ୟସ୍ତଛନ୍ତି ବୃଦ୍ଧ ବନ୍ଧୁ ଚରଚାରେ ।

ସଜ୍ଜିତ ମଣ୍ଡପେ ବର ପହଣ୍ଡାଇ,

ନେଉଛନ୍ତି, ଦ୍ଵିଜେ, ବନ୍ଦି ଗୀତଗାଇ ।

ବାଜୁଛି ନାନାଦି ମଙ୍ଗଳ ବାଜଣା ,

ଦରଶକ ବୃନ୍ଦ ସଂଖ୍ୟା ଅକଳନା ।

ଦାସୀ ଯାଇ ବୃଦ୍ଧେ କହିଲା ସନ୍ଦେଶ ,

"ହୋଇଛନ୍ତି ତବ କନ୍ୟା ନିରୁଦ୍ଦେଶ ।

ଦଣ୍ଡେ ପୂର୍ବେ ଥିଲେ ବିଶ୍ରାମ ଆଗରେ,

କେଣେ ଗଲେ ଚାଲି ନ କହିଣ କାରେ ।

ସାଇପଡ଼ିଶାଙ୍କ ଘର ଆଦି କରି,

ଖୋଜିଲୁଁଣି, କାହିଁ ନାହାଁନ୍ତି ସୁନ୍ଦରୀ ।"

ଶୁଣି ବୃଦ୍ଧ ଛିଡ଼ା ହେଲେ ଜଡ଼ ସମ,

ବାକ୍ୟ ନସ୍ଫୁରିଲା, କିହେଲା ବିଷମ ?

ତନୁଜା ମହେନ୍ଦ୍ର ପ୍ରଣୟ ଆଶକ୍ତା,

ଥିବାକଥା ଚିନ୍ତି ଘୁରାଇଲା ମଥା ।

କନ୍ୟା ଶୋକେ ବୃଦ୍ଧ ହୋଇ ଜରଜର,

ଉପବନ ମୁଖେ ହେଲେ ଅଗ୍ରସର ।

କିୟଦ୍ଦୂର ଯାଇ ହେଲେ ସ୍ତମ୍ଭୀଭୂତ,

“ନାଥ ! ନାଥ !” ଶୁଭେ ଏକି ଅଦଭୂତ ?

ଦେଖିଲେ, ଅଦୂରେ ବାହୁଯୁଗ ଛନ୍ଦି,

ମହେନ୍ଦ୍ରେ ସୁନ୍ଦରୀ କରିଅଛି ବନ୍ଦୀ ।

ସମୀପକୁ ଯାଇ ଚାହିଁଲେ ତରାଟି,

ତିଳେସୁଦ୍ଧା ନ ଫିଟଇ କାହା ପାଟି ।

ବେନି ନେତ୍ରୁ ଅଶ୍ରୁ ବହେ ଝର ଝର,

ସାଧ୍ଵସେ ବେନିଙ୍କ ଅଙ୍ଗ ଥର ଥର ।

ନବୁଝିଣ କିଛି ତଳକୁ ଚାହାଁନ୍ତେ,

ଦେଖିଲେ ସାଶ୍ଚର୍ଯ୍ୟେ ଯୁବା ପଦ ପ୍ରାନ୍ତେ ,

ବନକୋଳି ସମ ରହିଛି କି ପଡ଼ି,

ଉଠାଇ ଦେଖନ୍ତେ ଜହରର ବଡ଼ି ।

‘କି ହେଲା, କି ହେଲା ପ୍ରକମ୍ପାଇ ବନ,

ଉଚ୍ଚସ୍ୱରେ ବୃଦ୍ଧ କରିଲେ କ୍ରନ୍ଦନ ।

ସେ କ୍ରନ୍ଦନ ରୋଳେ ନାଗରିକ ଜନେ,

ପୁରସୀମନ୍ତିନୀ, ଦ୍ଵିଜ, ବନ୍ଦି ଗଣେ,

ଧାଇଁଲେ ସବ୍ୟଗ୍ରେ ଉପବନ ପଥେ,

ବର ଆଦି ବର-ଯାତ୍ରୀ ଏ ସମସ୍ତେ ।

ରୁଣ୍ଡହେଲେ ବେଢ଼ି ତରୁଣୀ ତରୁଣେ ।

ବୃଦ୍ଧଙ୍କ କାତର, କ୍ରନ୍ଦନ-କରୁଣେ,

ବୁଝିଲେ ସରବେ ଦଶା ବେନିଙ୍କର ।

ପ୍ରଣୟ ବାଧାରେ ଫଳିଛି ଏ ଫଳ,

ଉଠିଲା ସଭିଙ୍କ କଣ୍ଠୁ ହାହା କାର।

ଗର୍ଜଇକି ଘୋର ଦୁଃଖେ ପାରାବାର ?

ଶତଶିଖା ତୋଳି ଅନୁତାପାନଳ ,

ପୋଡ଼ି ପକାଇଲା ବୃଦ୍ଧ ହୃଦ ସ୍ଥଳ ।

ହଳାହଳ ବିଷ ରୂପ କୃତ ପାପେ,

ପଡ଼ି, ଜଡ଼ବତ ଘାରି ହେଲେ ଆପେ'

ବେନି ପ୍ରାଣୀ ହତ୍ୟା ଜାଣି, ନିଜକୃତ,

ସ୍ଥିର ନେତ୍ରେ ଚାହିଁ ହେଲେ ଜୀବନ୍ମୃତ ।

ବେଳୁଁ ବେଳ ଗରଳର ତୀବ୍ର ଜାଳେ,

ଦମ୍ପତ୍ତି ଯୁଗଳ ଅତି ଅସମ୍ଭାଳେ

ଥର ଥର ଥରି ତେଜି ଦୀର୍ଘ ଶ୍ଵାସ,

ସଂସାରମାୟାକୁକଲେଉପହାସ ।

ଶେଷ ନିଶ୍ୱାସ ଏ ବୁଝି ସର୍ବ ଜନ,

କଲେ ମର୍ମଭେଦୀ କାତରେ କ୍ରନ୍ଦନ।

ପରସ୍ପର ମୁଖପଦ୍ମେ ଦୃଷ୍ଟି ରଖି,

ଉଭାବେନି, ପିଣ୍ଡେ ନାହିଁ ପ୍ରାଣ-ପକ୍ଷୀ ।

ଆହାକି ଅଦ୍ଭୁତ ପ୍ରଣୟର ଗତି,

ବାଧା ଦେବ ତହିଁ କାହାର ଶକତି?

ଯାହାଙ୍କ ପ୍ରଣୟ ଦେବାନୁମୋଦିତ,

ମାନବବଳେକି ଘଟେ ବିପରିତ ?

ଶକ୍ତି ନାହିଁ କାର ପ୍ରୀତି ଗତି ରୋଧେ,

ବାଧା ଦ୍ୟନ୍ତି ଏକା ସେ ପଥେ ନିର୍ବୋଧେ ।

ଧନ୍ୟ କନକାଙ୍ଗୀ କନକ-ସୁନ୍ଦରୀ,

ଧନ୍ୟ ହେ ମହେନ୍ଦ୍ର ତରୁଣ-କେଶରୀ ।

ଧନ୍ୟ ତୁମ୍ଭ ବେନି ଅକପଟ ପ୍ରୀତି ।

ମଜ୍ଜି ସେ ପ୍ରୀତିରେ ଲଭ ସଦଗତି ।

 

ସମାପ୍ତ